Central Water Commission: ଦେଶର ଦକ୍ଷିଣ ଭାଗରେ ଗୁରୁତର ଜଳ ସଂକଟ ସୃଷ୍ଟି ହୋଇଥିବାର କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟ ଦର୍ଶାଇଛି।
Trending Photos
South India Water Crisis: ଦେଶରେ ଆରମ୍ଭ ହୋଇସାରିଛି ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ଜଳ ସଙ୍କଟ ଘନେଇବାରେ ଲାଗିଛି। ଯାହାର ପ୍ରଭାବ ଏବେ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଏବେ ଜଳ ସଙ୍କଟର ସାମ୍ନା କରୁଛି। ଏଠାକାର ଜଳଭଣ୍ଡାରର ଜଳ ଧାରଣ କ୍ଷମତା ମାତ୍ର ୧୭ ପ୍ରତିଶତ ରହିଯାଇଛି। ଏହି ସୂଚନା କେନ୍ଦ୍ରୀୟ ଜଳ ଆୟୋଗ (ସିଡବଲ୍ୟୁସି) ପକ୍ଷରୁ ପ୍ରକାଶିତ ବୁଲେଟିନ୍ ପ୍ରଦାନ କରିଛି। ଦେଶର ଦକ୍ଷିଣ ଭାଗରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ଆଦି ରାଜ୍ୟ ଅବସ୍ଥିତ ରହିଛି।
ସିଡବଲ୍ୟୁସି ଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳରେ ଜଳଭଣ୍ଡାରର ସଂରକ୍ଷଣ ସ୍ତର ସମ୍ପର୍କରେ ଗୁରୁବାର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏନେଇ କୁହାଯାଇଛି ଯେ ଦେଶରେ ଦକ୍ଷିଣ ଭାଗରେ କେନ୍ଦ୍ରୀୟ ଜଳ ଆୟୋଗ ଅଧିନରେ ୪୨ ଜଳଭଣ୍ଡାର ରହିଛି। ଯାହାର ମୋଟ ସଂରକ୍ଷଣ କ୍ଷମତା ହେଉଛି ୫୩.୩୩୪ ବିସିଏମ୍ (ବିଲିୟନ କ୍ୟୁବିକ୍ ମିଟର)।
ଜଳାଶୟରେ ରହିଛି କେବଳ ୧୭ ପ୍ରତିଶତ ପାଣି
ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଜଳଭଣ୍ଡାରରେ ବର୍ତ୍ତମାନର ମୋଟ ଭଣ୍ଡାରଣ ହେଉଛି ୮.୮୬୫ ବିସିଏମ୍। ଯାହା ସେମାନଙ୍କର ମୋଟ କ୍ଷମତାର ମାତ୍ର ୧୭ ପ୍ରତିଶତ। ଯାହା ଗତ ବର୍ଷ ସମାନ ଅବଧିରେ ୨୯ ପ୍ରତିଶତ ରହିଥିଲା। ସେହିପରି ୧୦ ବର୍ଷ ମଧ୍ୟରେ ସଂରକ୍ଷଣ ସ୍ତର ଠାରୁ କମ୍ ବୋଲି ଜଣାପଡ଼ିଛି। ଏହି ୧୦ ବର୍ଷ ମଧ୍ୟରେ ହାରାହାରି ଭଣ୍ଡାରଣ କ୍ଷମତା ୨୩ ପ୍ରତିଶତ ରହିଥିଲା। ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଜଳଭଣ୍ଡାରରେ କମ୍ ସଂରକ୍ଷଣ ସ୍ତର ଏହି ରାଜ୍ୟରେ ଜଳ ଅଭାବ ଏବଂ ଜଳସେଚନ, ପାନୀୟ ଜଳ ଏବଂ ଜଳ ବିଦ୍ୟୁତ୍ ଶକ୍ତି ପାଇଁ ରହିଥିବା ସମ୍ଭାବ୍ୟ ଆହ୍ୱାନକୁ ସୂଚାଉଛି।
ପୂର୍ବ ଭାଗରେ ଜଳ ସଂରକ୍ଷଣ ସ୍ତରରେ ହୋଇଛି ଉନ୍ନତି
ଅପରପକ୍ଷେ ଦେଶରେ ପୂର୍ବ ଭାଗରେ ଅବସ୍ଥିତ ରହିଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ଗତ ବର୍ଷ ଏବଂ ୧୦ ବର୍ଷର ହାରାହାରି ତୁଳନାରେ ଜଳ ସଂରକ୍ଷଣ ସ୍ତରରେ ସକରାତ୍ମକ ଉନ୍ନତି ହୋଇଛି। ଏନେଇ କେନ୍ଦ୍ରୀୟ ଜଳ ଆୟୋଗ କହିଛନ୍ତି ଯେ ଏହି ଅଞ୍ଚଳରେ ମୋଟ ୨୦.୪୩୦ ବିସିଏମ୍ କ୍ଷମତା ବିଶିଷ୍ଟ ୨୩ ଜଳଭଣ୍ଡାରରେ ବର୍ତ୍ତମାନ ୭.୮୮୯ ବିସିଏମ୍ ଜଳ ମହଜୁଦ ରହିଛି। ଯାହା ସେମାନଙ୍କର ମୋଟ କ୍ଷମତାର ୩୯ ପ୍ରତିଶତ। ଗତ ବର୍ଷ ସମାନ ଅବଧିରେ ୩୪ ପ୍ରତିଶତ ଏବଂ ୧୦ ବର୍ଷର ହାରାହାରି ଜଳ ସଂରକ୍ଷଣ ସ୍ତର ୩୪ ପ୍ରତିଶତ ତୁଳନାରେ ସୁଧାର ହୋଇଥିବା ଦର୍ଶାଉଛି।
ସେହିପରି ପଶ୍ଚିମ ଭାଗରେ ଅବସ୍ଥିତ ରହିଥିବା ଗୁଜୁରାଟ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ସଂରକ୍ଷଣ ସ୍ତର ୧୧.୭୭୧ ବିସିଏମ୍ ରହିଛି। ଏହି ଅଞ୍ଚଳରେ ଅବସ୍ଥିତ ରହିଥିବା ୪୯ ଜଳଭଣ୍ଡାରର ମୋଟ କ୍ଷମତାର ୩୧.୭ ପ୍ରତିଶତ। ଗତ ବର୍ଷ ସମାନ ଅବଧିରେ ୩୮ ପ୍ରତିଶତ ଏବଂ ୧୦ ବର୍ଷର ହାରାହାରି ଜଳ ସଂରକ୍ଷଣ ସ୍ତର ୩୨.୧ ପ୍ରତିଶତ ଠାରୁ କମ୍। ଏପରି ଭାବେ ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଜଳ ସଂରକ୍ଷଣ ସ୍ତରର ହ୍ରାସ ହୋଇଥିବାର କୁହାଯାଉଛି।