Odisha Election 2024: ନବରଙ୍ଗପୁର କାହାକୁ ଦେବ ଭୋଟ୍‍
Advertisement
Article Detail0/zeeodisha/odisha2242441

Odisha Election 2024: ନବରଙ୍ଗପୁର କାହାକୁ ଦେବ ଭୋଟ୍‍

Odisha Politics: ନିଜର ନେତା ବାଛିବାକୁ ଭୋଟର ଯେତିକି ଉତ୍ସାହିତ ରହିଛନ୍ତି, ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଶାସକ ବିଜେଡି ସହିତ ଉଭୟ ବିଜେପି ଓ କଂଗ୍ରେସ ଲୋଭନୀୟ ପ୍ରତିଶୃତିର ବର୍ଷା ମଧ୍ୟ କରିଚାଲିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାସକ ଦଳର ନେତୃବୃନ୍ଦଙ୍କ ପ୍ରଚାର ପରେ ଭୋଟରମାନେ ବେଶ ଉତ୍ସାହିତ ରହିଛନ୍ତି। 

Odisha Election 2024: ନବରଙ୍ଗପୁର କାହାକୁ ଦେବ ଭୋଟ୍‍

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଗୋଟିଏ ସପ୍ତାହରୁ କମ ସମୟ ରହିଛି। ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଆଦିବାସୀ ବହୁଳ ନବରଙ୍ଗପୁର ଲୋକସଭା ଆସନରେ ମଧ୍ୟ ଆସନ୍ତା ୧୩ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଫଳରେ ତିନି ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ନିଜର ନେତା ବାଛିବାକୁ ଭୋଟର ଯେତିକି ଉତ୍ସାହିତ ରହିଛନ୍ତି, ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଶାସକ ବିଜେଡି ସହିତ ଉଭୟ ବିଜେପି ଓ କଂଗ୍ରେସ ଲୋଭନୀୟ ପ୍ରତିଶୃତିର ବର୍ଷା ମଧ୍ୟ କରିଚାଲିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାସକ ଦଳର ନେତୃବୃନ୍ଦଙ୍କ ପ୍ରଚାର ପରେ ଭୋଟରମାନେ ବେଶ ଉତ୍ସାହିତ ରହିଛନ୍ତି। 

ତେବେ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ୭ଟି ବିଧାନସଭା ଆସନକୁ ନେଇ ନବରଙ୍ଗପୁର ଲୋକସଭା ଆସନ ଗଠିତ। ଏହି ୭ଟି ଯାକ ଆସନ ପ୍ରାୟତଃ ଆଦିବାସୀବହୁଳ। ଏହି ଲୋକସଭା ଆସନରେ ୧୫,୧୩,୭୮୭ ସଂଖ୍ୟକ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ମଧ୍ୟରେ ୭୪୨୨୩୬ ପୁରୁଷ ଭୋଟର ରହିଥିବା ବେଳେ ୭୭୧୪୩୫ ମହିଳା ଭୋଟର ରହିଛନ୍ତି। ତେବେ ଚାଣକ୍ୟ ତଥ୍ୟ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟ ପ୍ରଭାବିତ କରିଥାଏ। ଏହି ଆସନ ଅଧିନରେ ଅନୁସୂଚିତ ଜାତି 55.64 ପ୍ରତିଶତ ରହିଥିବା ବେଳେ ଅନୁସୂଚିତ ଜନଜାତି 16.78 ପ୍ରତିଶତ ରହିଛନ୍ତି। ତେବେ ଏମାନଙ୍କ ମୌଳିକ ସମସ୍ୟାକୁ ମୁଦ୍ଦା କରି ତିନି ଦଳର ନେତା ନିର୍ବାଚନ ମୈଦାନରେ ଲଢୁଛନ୍ତି। 

ନବରଙ୍ଗପୁର ଲୋକସଭା ନିର୍ବାଚନରେ ପୂର୍ବଭଳି ଏଥର ମଧ୍ୟ ତିନି ମାଝୀଙ୍କ ମଧ୍ୟରେ ଲଢେଇ ହେଉଛି। ବିଜେଡିରୁ ପ୍ରଦୀପ କୁମାର ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୂଜବଳ ମାଝୀ  ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ କଂଗ୍ରେସ ଗଡ଼ ଥିବା ଏହି କ୍ଷେତ୍ରରେ ୧୯୬୭ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ ଖଗପତି ପ୍ରଧାନୀ ସାଂସଦ ଥିଲେ । ପରେ ୧୯୯୯ ମସିହାରେ ଭାରତୀୟ ଜନତା ପାର୍ଟିରୁ ପର୍ଶୁରାମ ମାଝୀ ବିଜୟଲାଭ କରିଥିଲେ ଏବଂ ଏହି ଧାରା ୨୦୦୪ ମସିହାରେ ମଧ୍ୟ ବଳବତ୍ତର ଥିଲା । କିନ୍ତୁ ୨୦୦୯ ମସିହାରେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରଦୀପ କୁମାର ମାଝି ଲୋକସଭା ନିର୍ବାଚନରେ ବିଜୟଲାଭ କରିଥିଲେ । ୨୦୧୪ ମସିହାରେ ବିଜୁ ଜନତା ଦଳରୁ ବଳଭଦ୍ର ମାଝି ଏବଂ ୨୦୧୯ ମସିହାରେ ରମେଶ ଚନ୍ଦ୍ର ମାଝି ବିଜୟଲାଭ କରିଥିଲେ । କହିବାକୁ ଗଲେ ଗତ ଦୁଇଟି ଲୋକସଭା ନିର୍ବାଚନରେ ବିଜେଡି ବାଜିମାତ କରିଆସୁଛି ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ନବରଙ୍ଗପୁରରେ ଜୋରଦାର ଲଢେଇ ଆରମ୍ଭ ହୋଇଛି । ୩ ଦଳରୁ ପ୍ରାର୍ଥୀ ପ୍ରଚାର ଜୋରଦାର କରିଛନ୍ତି। ବିଜେଡି ତାର ପ୍ରାର୍ଥୀ ପରିବର୍ତ୍ତନ କରି ରମେଶ ମାଝୀଙ୍କ ବଦଳରେ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି। ବିଜେପିରୁ ବଳଭଦ୍ର ମାଝୀ ଏବଂ କଂଗ୍ରେସରୁ ଭୁଜବଳ ମାଝୀଙ୍କ ମଧ୍ୟରେ ଏଥର ଜୋରଦାର ଲଢେଇ ଦେଖିବାକୁ ମିଳିବ। କାରଣ ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ରମେଶ ମାଝୀ ୩ ଲକ୍ଷ ୯୨ ହଜାର ୫୦୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । ଦ୍ଵିତୀୟ ସ୍ଥାନରେ ଥିଲେ କଂଗ୍ରେସର ପ୍ରଦୀପ ମାଝୀ । ପ୍ରଦୀପଙ୍କୁ ମୋଟ ୩ ଲକ୍ଷ ୫୦ ହଜାର ୮୭୦ ଖଣ୍ଡ ଭୋଟ ମିଳିଥିଲା । ବିଜେପିର ବଳଭଦ୍ର ମାଝୀ ୩ ଲକ୍ଷ ୪୨ ହଜାର ୮୩୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ତିନି ଦଳ ମଧ୍ୟରେ ଭୋଟ୍ ବ୍ୟବଧାନ ଅଧିକ ନଥିବା କାରଣରୁ ଚଳିତ ୨୦୨୪ ନିର୍ବାଚନରେ ମଧ୍ୟ ଲଢେଇ ଖୁବ ଜୋରଦାର ହେବ ବୋଲି ଆଶା କରାଯାଉଛି । ସେହିପରି ୨୦୧୪ ମସିହାର ଲୋକସଭା ନିର୍ବାଚନରେ ବିଜେଡିରୁ ବଳଭଦ୍ର ମାଝୀ ୩ ଲକ୍ଷ ୭୩ ହଜାର ୮୮୭ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ସମୟରେ କଂଗ୍ରେସରୁ ପ୍ରଦୀପ କୁମାର ମାଝୀ ୩ ଲକ୍ଷ ୭୧ ହଜାର ୮୪୫ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କୁ ମୋଟ ୧ ଲକ୍ଷ ୩୮ ହଜାର ୪୩୦ ଖଣ୍ଡ ଭୋଟ ମିଳିଥିଲା । ଏହା ପୂର୍ବରୁ ୨୦୦୯ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ମାଝୀ ୩ ଲକ୍ଷ ୮ହଜାର ୩୦୭ ଖଣ୍ଡ ଭୋଟ ପାଇ ବିଜୟ ମୁକୁଟ ପିନ୍ଧିଥିଲେ । ବିଜେଡିରୁ ଡମ୍ୱୁରୁ ମାଝୀଙ୍କୁ ୨ ଲକ୍ଷ ୭୮ ହଜାର ୩୩୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିରୁ ପର୍ଶୁରାମ ମାଝି ୧ ଲକ୍ଷ ୫୬ ହଜାର ୭୮୪ ଖଣ୍ଡ ଭୋଟ ପାଇଥିଲେ । ତେବେ ଏହି ଆସନଟି କାହା ଅଧିନକୁ ଯିବ ତାହା ଜୁନ ୪ ତାରିଖରେ ଜଣାପଡ଼ିଯିବ।

Also Read- Kuber Yog: ୧୨ ବର୍ଷ ପରେ ସୃଷ୍ଟି ହେଉଛି କୁବେର ଯୋଗ, ୩ ରାଶି ଜୀବନରେ ଟଙ୍କା ବର୍ଷା !

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୩ ରାଶିର ଲୋକଙ୍କ ଭାଗ୍ୟରେ ସୁଖର ବର୍ଷା