୨୬ ଫେବ୍ରୁଆରୀରେ ସଚିବାଳୟ ଘେରାଉ କରିବ କଂଗ୍ରେସ
Advertisement
Article Detail0/zeeodisha/odisha2124854

୨୬ ଫେବ୍ରୁଆରୀରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୨୪ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। 

Odisha Congress

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୪ବର୍ଷର ଶାସନ କାଳରେ ବିଜେଡି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛନ୍ତି। ରାଜ୍ୟର ସବୁ ବ୍ଲକକୁ ୩୫% ଜଳସେଚନ ସୁବିଧା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କିମ୍ବା ବେକାରୀ ସମସ୍ୟା ସମାଧାନ ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି, ପାନୀୟଜଳ ଯୋଗାଣରେ ୩୩ ହଜାର କୋଟିର ଠିକା ଦୁର୍ନୀତି, ବିଦ୍ୟୁତ୍ ସେବା ଭିତିଭୂମି ଆଳରେ ୩୫ ହଜାର କୋଟି ଟଙ୍କାର ଦୁର୍ନୀତି ଏବଂ ନାରୀ ନିର୍ଯାତନା ଓ ନାବାଳିକା ଚାଲାଣ ଆଦି ବିଜେଡି ସରକାରଙ୍କ ସଫଳତାର ଫର୍ଦ୍ଦ କହିଲେ ନ ସରେ । ଏସବୁ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଆସନ୍ତା ତା-୨୬.୨.୨୦୨୪ ରିଖ ସୋମବାର ପୂର୍ବାହ୍ଣ ୧୧ଟାରେ କଂଗ୍ରେସ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟ (ଲୋକସେବା ଭବନ) ଘେରାଉ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । 

ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୨୪ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷଜମିକୁ ଜଳସେଚନ, ବିଧାନସଭାରେ ସର୍ବସମ୍ମତି କ୍ରମେ ହୋଇଥିବା ନିଷ୍ପତି ଅନୁଯାୟୀ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ଅଥଚ ନିର୍ବାଚନ ଆସିଲେ କାଳିଆ ଯୋଜନା କରି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି । ଏହା ଦ୍ୱାରା ଗୋଟିଏ ପଟେ ପ୍ରକୃତ ଚାଷୀ ସହାୟତା ପାଇବାରୁ ବଂଚିତ ହେଉଥିବାବେଳେ ଅନ୍ୟପଟେ କୃଷି କ୍ଷେତ୍ରର ବିକାଶ ହୋଇପାରୁନି । କୃଷିଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ବିଜେଡି ସରକାର ମହିଳା ସଶକ୍ତିକରଣ କଥା କହୁଥିବାବେଳେ ରାଜ୍ୟରେ ପ୍ରତିଦିନ ୭ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ଜଣ ନାବାଳିକା । ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ଅପରାଧ ସାରା ଦେଶରେ ସବୁଠାରୁ ଅଧିକ ବୋଲି ଏନ୍‌ସିଆରବି ରିପୋର୍ଟରେ ପ୍ରକାଶ ପାଇଛି । 

ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦବି ଖାଲି ପଡିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦%ରୁ ଅଧିକ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ସରକାର ବର୍ଷକୁ ୧୦ ହଜାର ନିଯୁକ୍ତି ବି ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାରରୁ ଅଧିକ ପଦବି ଖାଲି ପଡିଛି । ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ । ଆସନ୍ନ ପ୍ରସବା ମହିଳାମାନେ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି । ଖାଲି ସେତିକି ନୁହେଁ, ଷ୍ଟାଫନର୍ସ, ଟେକ୍‌ନିସିଆନ ଓ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଉଭୟ ବିଜେଡି ଓ ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ହେବାକୁଥିବା ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ସରକାର ଚାଷୀଙ୍କୁ ୨ ହଜାର ଟଙ୍କା ନିର୍ବାଚନୀ ଲଲିପପ୍ ଦେଇ ଭୁତାନ୍ତୁ ନାହିଁ । ଓଡ଼ିଶାର ଚାଷୀ ମିଛ ପ୍ରତିଶ୍ରୁତି ନୁହେଁ, ନ୍ୟାୟ ମାଗୁଛନ୍ତି । ଚାଷଜମିକୁ ଜଳସେଚନ ସୁବିଧା, ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରି ସରକାର ଚାଷୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରନ୍ତୁ । ଯାହାକି ଗତ ୨୪ବର୍ଷର ଶାସନ କାଳରେ ନବୀନ ସରକାର ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଏ ସରକାର ଗଣମାଧ୍ୟମକୁ ମଧ୍ୟ ସଚିବାଳୟ ପ୍ରବେଶ ଅନୁମତି ଦେଉନାହାନ୍ତି । ଏହା ଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । କିନ୍ତୁ କଂଗ୍ରେସ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ତା’ର ସଂଗ୍ରାମ ଜାରି ରଖିବ ବୋଲି ଡ.ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

(ବିଦ୍ର: ଏହି ଆର୍ଟିକିଲରେ ପ୍ରଦାନ ସମସ୍ତ ତଥ୍ୟ କଂଗ୍ରେସ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି। ଏହା ଜୀ ଓଡି଼ଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ।)