TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2229362

TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

TOP 10 NEWS TODAY:

01- ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହା ତାଙ୍କର ଷଷ୍ଠତମ ପ୍ରାର୍ଥୀତ୍ୱ। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। ଆଜି ଦିନ ୧୧ଟାରେ ସେ ତାରାତାରିଣୀ ମନ୍ଦିର ପାଖରେ ନିର୍ମିତ ହେଲିପ୍ୟାଡରେ ଓହ୍ଲାଇ ପ୍ରଥମେ ତାରାତାରିଣୀଙ୍କୁ ଦର୍ଶନ କରିଥିଲେ। ଏହା ପରେ ସେ ପୁଣି ହେଲିକପ୍ଟର ସହାୟତାରେ ଛତ୍ରପୁର ଆସିଥିଲେ। ସେଠାରୁ କାର୍‍ରେ ଛତି୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କୌଣସି ଶୋଭାଯାତ୍ରା ଆୟୋଜନ ହୋଇ ନଥିଲେ ମଧ୍ୟ ରାସ୍ତାର ଦୁଇକଡ଼ରେ ଲୋକେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନାମାଙ୍କନ ଦାଖଲ ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,  ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଦେବୀ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରା,  ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ବରିଷ୍ଠ ନେତା ବିକ୍ରମ ଆରୁଖ, ଭିକେ ପାଣ୍ଡିଆନ୍‍ ପ୍ରମୁଖ ଉପସ୍ଥିତ ଥିଲେ।

02-  ଭିକେ ପାଣ୍ଡିଆନ ଆଜି ଗଜପତି ମୋହନା ଏବଂ ଗଞ୍ଜାମ ଚିକିଟି ଗସ୍ତ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କୁ ଚାର୍ଗେଟ୍ କରି କଥା ଛଳରେ ଅନେକ କିଛି କହିଛନ୍ତି ଭିକେ ପାଣ୍ଡିଆନ । ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ସଂସଦକୁ ନୁହେଁ ବରଂ ଜେଲ ପଠାଇବା ଉଚିତ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଦେଉଛନ୍ତି ।

03- ଆଜି ନିର୍ବାଚନ ଲଢିବା ସମ୍ପର୍କରେ ମୁହଁ ଖୋଲିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ । ଆଜି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ସୌମ୍ୟ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଘସିପୁରା ଅଞ୍ଚଳବାସୀ ମଧ୍ୟ ସୌମ୍ୟଙ୍କୁ ସେଠାରୁ ଲଢିବା ପାଇଁ ଚାପ ପକାଉଛନ୍ତି । ତେବେ କଣ କରିବେ କଣ ନାହିଁ ତାହା ମାଆଙ୍କୁ ଜଣାଇବା ପାଇଁ ଦର୍ଶନ କରିଥିଲେ ସୌମ୍ୟ । 

04- ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ୧୯୮୫ ମସିହା ଜୁଲାଇ ୧ ତାରିଖରେ ନୌସେନାରେ ଯୋଗ ଦେଇଥିଲେ । ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ସହିତ ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ଦିନେଶ କୁମାର ।

05- ଛତିଶଗଡ଼ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ଆଜି ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀଙ୍କ ସହ DRG ଏବଂ STF ଯବାନ ମୁହାଁମୁହିଁ ହେବା ଫଳରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୫ ପୁରୁଷ ମାଓବାଦୀ ଅଛନ୍ତି । ଟେକାମେଟା ଅଞ୍ଚଳରେ ମାଓବାଦୀ କିଛି ଯୋଜନା କରୁଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହେବା ଫଳରେ  ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ସାମଗ୍ରୀ ସମେତ ନକ୍ସଲ ବ୍ୟବହାର କରୁଥିବା ଏକେ ୪୭ ଜବତ କରାଯାଇଛି । ବସ୍ତର ଆଇଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

06- ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ଏଆରଆଇ ରେଶମା ମାଝୀ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ରେଶମାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶିଶକେଲା ଗାଁ ବାସିନ୍ଦା ବାସୁଦେବ ନନ୍ଦ ଜମିର କାଗଜପତ୍ର କାର୍ଯ୍ୟ କରାଇବା ପାଇଁ ଏଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦରଖାସ୍ତ ଦେଇଥିଲେ । କାମ କରାଇ ଦେବାପାଇଁ ରେଶମା ବାସୁଦେବଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ବାସୁଦେବ ଟଙ୍କା ନଦେଇ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଯୋଜନା ମୁତାବକ, ଅଫିସରେ ବାସୁଦେବ ରେଶମାଙ୍କୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ରାଯାଇଥିଲା । ଉଭୟ ରେଶମା ଏବଂ ମଣ୍ଟୁ ନାମକ ଜଣେ ମଧ୍ୟସ୍ଥିକୁ ଗିରଫ କରିବାରେ ସକ୍ଷମ ହୋଇଛି ଭିଜିଲାନ୍ସ । ବର୍ତ୍ତମାନ ଉଭୟଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ମିଳିଛି ।

07-  ବିଜୁ ଜନତା ଦଳର ଦୁଇ ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସେ ମଧ୍ୟରେ ଅଛନ୍ତି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଏବଂ କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ଦୁହେଁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ନମିଳିବାରୁ ଦୁହେଁ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି । ଗୋଟିଏ ଦିନରେ ଦୁଇ ନେତା ଦଳ ଛାଡିବା ବିଜେଡି ପାଇଁ ଏକ ଶକ୍ତ ଝଟକା ବୋଲି ଆଲୋଚନା ହେଉଛି ।

08- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିବା ଭାଗିରଥୀ ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ୨୦୦୯ ଏବଂ ୨୦୧୯ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଭାଗୀରଥିଙ୍କ ଟିକଟ ଚଳିତଥର କଟିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

09-  ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ଏହି ଟପ୍ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ମୈଦାନକୁ ଓହ୍ଲାଇବ। ସେହିପରି ଟିମରେ ଯଶସ୍ଵି ଜୟସ୍ୱାଲ୍ , ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ଶୁଭମନ ଗିଲ୍, ରିଙ୍କୁ ସିଂ, ଖଲିଲ ଅହମ୍ମଦ, ଅଭେଶ ଖାନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ।  

10- ଗ୍ରୀଷ୍ମ ପ୍ରକୋପରେ କଲବଲ ହେଉଛି ରାଜ୍ୟ । ୧୫ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ବାରିପଦାରେ ସର୍ବାଧିକ ୪୬. ୪ ଡ଼ିଗ୍ରୀ , ବାଲେଶ୍ୱରରେ ୪୬ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୯ସହରରେ ତାପମାତ୍ରା ୪୨ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି