Top 10 News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2221972

Top 10 News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆଜି ଅର୍ଥାତ୍ ଶୁକ୍ରବାର ସକାଳ ୭ରୁ ଆରମ୍ଭ ହୋଇଛି। ଆଜି ଭୋଟରମାନେ ୧୩ଟି ରାଜ୍ୟରେ ମୋଟ ୮୮ଟି ଆସନ ଉପରେ ସେମାନଙ୍କର ମତ ଦେବେ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିଲା। ଯେତେବେଳେ ୧୦୨ଟି ଆସନରେ ମତଦାନ ହୋଇଥିଲା। ଏଠାରେ କହି ରଖୁ କି ସମଗ୍ର ଲୋକସଭା ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ। 

H2. ଓଡ଼ିଶାରେ ରଣହୁଙ୍କାର ଦେଲେ ଶାହ
୨୦୨୪ ନିର୍ବାଚନ ପାଇଁ ଓଡ଼ିଶାରେ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଗୁରୁବାର (ଅପ୍ରେଲ ୨୫) ସୋନପୁର ଠାରେ ରାଜ୍ୟ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେଇ ସେ ଦଳୀୟ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏହି ସମାବେଶରେ ରାଜ୍ୟ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀ ଉପସ୍ଥିତ ରହିଥିଲେ। 

H3. ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଶାହଙ୍କ ମନ୍ତ୍ର
ସୋନପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ଭୁବନେଶ୍ୱରରେ ଦଳୀୟ ପ୍ରଭାରୀ,ସଂଯୋଜକ,ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି। କର୍ମକର୍ତ୍ତାଙ୍କୁ ଶାହଙ୍କ ଗୁରୁମନ୍ତ୍ର ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କରିବ । ଓଡ଼ିଶାରେ ଜଣେ ଯୁବକ,ସୁସ୍ଥ ଓ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଛନ୍ତି । ସାଂସଦ ଓ ବିଧାୟକ ପ୍ରାର୍ଥୀ ମିଳିତ ଭାବେ ଏକାଠି ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି।

H4. ଜନପଥରେ ମେଟ୍ରୋ ପ୍ରକଳ୍ପ ସର୍ଭେ ଆଜି
‘ମୋ ସରକାର’ଙ୍କ ୫-ଟି ଅଧୀନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ରେଳପଥ ନିର୍ମାଣ ପାଇଁ ଆସନ୍ତାକାଲି ଜନପଥରେ ସର୍ଭେ ହେବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାର ମେଡିଆନ୍‌ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଯିବ। ଏହାସହିତ ପାଣି ପାଇପ୍‌, ଟେଲିଫୋନ୍‌ ଲାଇନ୍‌, ଗ୍ୟାସ୍‌ପାଇପ୍‌ ଲାଇନ୍‌ ସମେତ ସମସ୍ତ ‘ୟୁଟିଲିଟି’ ହଟାଯିବ। ଏଥିପାଇଁ ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସର୍ଭେ କରିବ। ଟିମ୍‌ରେ ବିଏମ୍‌ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌), ଟିପିସିଓଡିଏଲ୍‌, ଗେଲ୍‌, ବିଏସ୍‌ଏନ୍‌ଏଲ୍‌, ୱାଟ୍‌କୋ ଓ କମିସନରେଟ୍‌ ଟ୍ରାଫିକ୍‌ର ପ୍ରତିନିଧି ରହିବେ। ଏନେଇ ରେଳ ନିଗମ ପକ୍ଷରୁ ସମସ୍ତ ଏଜେନ୍‌ସିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ସର୍ଭେ ହେବାକୁ ଯୋଜନା ହୋଇଛି।

H5. ଶୁକ୍ରବାର ଓ ଶନିବାର ପାଇଁ ରେଡ୍‌ ୱାର୍ଣ୍ଣିଂ
ଶୁକ୍ରବାର ଓ ଶନିବାର ଭୀଷଣ ତାତି ହେବ। ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ଘରୁ ବାହାରିଲା ବେଳେ ସତର୍କତାମୂଳକ ବ୍ୟବସ୍ଥା କରି ବାହାରିବାକୁ ପରାମର୍ଶ ଦିଆଯାଇଛି।

H6. ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ
କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି ଭାରତୀୟ ହକି ଦଳର ପୂର୍ବତ ଅଧିନାୟକ ପ୍ରବୋଧ ତିର୍କି। ଗୁରୁବାର (ଅପ୍ରେଲ ୨୫) ସୋନପୁର ଠାରେ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବେ ପ୍ରବୋଧ ତିର୍କି କଂଗ୍ରେସ ଛାଡ଼ିଥିଲେ। ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରବୋଧ ତିର୍କିଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ଅଧିନସ୍ଥ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରି ଦଳୀୟ ଟିକେଟ ଦେଇଥିଲେ କଂଗ୍ରେସ। ମାତ୍ର ପରେ ତାଙ୍କ ଟିକେଟ କାଟି ଦେଇଥିଲା କଂଗ୍ରେସ। ଟିକେଟ କଟିବା ପରେ ସେ କ୍ଷୋଭ ପ୍ରକାଶ କରିଥିଲେ। 

H7. କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ୫ ଜଣିଆ ଡାକ୍ତରୀ ଟିମ୍‌ 
ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍‌। AIIMSର ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଗଠିତ ହୋଇଛି ବୋର୍ଡ। ଡାକ୍ତର ନିଖିଳ ଟଣ୍ଡନ ଏହି ବୋର୍ଡର ମୁଖ୍ୟ ରହିବେ। ତିହାର ଜେଲ୍‌ ଡିଜିଙ୍କ ପତ୍ର ଅନୁଯାୟୀ ସେ ପୂର୍ବରୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନିଯୁକ୍ତ ହୋଇଥିଲେ। ଏବେ ଗଠିତ ହୋଇଥିବା ନୂଆ ବୋର୍ଡରେ ସେ ମୁଖିଆ ଭାବେ କାମ କରିବେ।

H8. ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ପୁରୀ ରଥଖଳାରେ ପହଞ୍ଚିଛି। ଗୁରୁବାର ୨୩ ଖଣ୍ଡ ଅସନ ଏବଂ ୪୦ ଫୁଟିଆ ଧଉରା ରଥକାଠ ଆସି ପୁରୀରେ ପହଞ୍ଚିଛି। ଆସନ୍ତା ମାସ ୧୦ ତାରିଖରେ ଅକ୍ଷୟ ତୃତୀୟ ଅବସରରେ ରଥ କାମ ଆରମ୍ଭ ହେବ। ସେହିପରି ଜୁଲାଇ ୭ ତାରିଖରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।

H9. ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା
ଘରେ ପଶି ଜଣେ ବ୍ୟକ୍ତି ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍। ପୁଲିସ ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି।

H10. ଦୁର୍ଘଟଣାରେ ୩ ମୃତ
ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି। ଗୋଟିଏ ବାଇକ୍ ରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗାଁର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ ଧୁରୁଆ ।ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଲୋକେ।