Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2217007

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Padma awards 2024: ଆଜି ରାଷ୍ଟ୍ରପତି ଭବନରେ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ରେ ସମ୍ମାନିତ କରିଛନ୍ତି । ଅନ୍ୟପଟେ, କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପଶାୟତ ଏବଂ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

H2-BJD Candidate: ବିଜୁ ଜନତା ଦଳ ପକ୍ଷରୁ ସୋମବାର ୬ଟି ବିଧାନସଭା ଆସନଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ୬ରୁ ୫ ଆସନରେ ଦଳ ବର୍ତ୍ତମାନର ବିଧାୟକଙ୍କ ଉପରେ ଭରସା କରିପାରି ନାହିଁ। କେବଳ କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ପୁଣିଥରେ ଦଳ ପ୍ରାର୍ଥୀ ଭାବେ ଟିକେଟ ଦେଇଛି। ଅପରପକ୍ଷେ ଏହି ୬ ଆସନରୁ ପୂର୍ବରୁ  ହିନ୍ଦୋଳ ଏବଂ ବରିକୁ  ମହିଳା ପ୍ରତିନିଧିତ୍ୱ କରୁଥିବା ବେଳେ ଏବେ ସେଠାରେ ପୁରୁଷଙ୍କୁ ପ୍ରାର୍ଥୀ କରିଛି ବିଜେଡି। ୬ ଆସନରୁ ମାତ୍ର ଗୋଟିଏ ଆସନରେ ଦଳ ମହିଳା ପ୍ରାର୍ଥୀ ଦେଇଛି। 

H3-Election 2024:  ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଟିକେଟ୍ ବଣ୍ଟାକୁ ନେଇ ଦେଖାଦେଇଛି ବିବାଦ। କାକଟପୁରରୁ ବିଜେଡି ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍‌ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଟିକେଟ୍‌ ଆଶାୟୀ ଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖ ଦାୟକ। ଏବଂ ବିଜେଡି ସୁପ୍ରିମୋ ମୋ ସହ ଅବିଚାର କରିଛନ୍ତି।

H4-Odisha Election 2024: ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ସେଥିରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟିଛି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ତାଙ୍କ ବଦଳରେ ବିଜେଡି ଏଥର ଏହି ଆସନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ସୁନନ୍ଦାଙ୍କ ବିପକ୍ଷରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ। ସୁନନ୍ଦାଙ୍କଠାରୁ ସେ ୪ ହଜାରରୁ ଅଧିକ ଭୋଟରେ ହାରିଥିଲେ। ଦଳ ତାଙ୍କ ଟିକେଟ କାଟି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦେବା ପରେ କ୍ଷୁବ୍ଧ ହୋଇଛନ୍ତି ସୁନନ୍ଦା। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇ ଜଣେ ଗୁଣ୍ଡା ଓ ବଦ୍‌ମାସଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।

H5-Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଲଗାତର ୮ ଦିନ ହେଲାଣୀ ତାତିରେ ଜଳୁଛି ଓଡି଼ଶା ।  ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଗକୁ ଆହୁରି ଭୟାନକ ହେବ ସ୍ଥିତି । ଦୁଇ ଦିନ ପରେ ତାତି ଆହୁରି ବଢିବ। ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ। ଏଥର ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୦ ଦିନକୁ ଲମ୍ବିଲାଣୀ।  ଆସନ୍ତା ୨୫ ଓ ୧୬ ତାରିଖରେ ରାଜ୍ୟରେ ଭୀଷଣ ତତଲା ହାଓ୍ବା ବହିବ। ୫ ରୁ ୬ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

H6-Odisha election 2024: ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକୁ ରାହୁଲ ଗାନ୍ଧି ଓଡ଼ିଶା ଆାସିବେ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ୨୮ ତାରିଖରେ ସାଲେପୁରଠାରେ ସାଧାରଣ ସଭାରେ ସେ ଲୋକଙ୍କୁ ଉଦ୍‍ବୋଧନ ଦେବା ସମ୍ଭାବନା ରହିଛି। ଠିକ୍‍ ସେହିପରି ଆସନ୍ତା ମାସର ପ୍ରଥମ ସପ୍ତାହରେ ପୁଣିଥରେ ରାହୁଲ ଓଡ଼ିଶା ଆସିପାରନ୍ତିୁ। ରାୟଗଡ଼ା ଠାରେ ସେ ଆୟୋଜିତ ହେବାକୁ ଥିବା ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୋରାପୁଟ ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଶ୍ରୀ ଉଲାକା ଗତଥର ପ୍ରାର୍ଥୀ ହୋଇ ଜିତିଥିଲେ।

H7-CM Arvind Kejriwal: ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଇନସୁଲିନ୍ ବିବାଦ  ଦିନକୁ ଦିନ ବଢିବାରେ ଲାଗିଛି। ଏହାପୂର୍ବରୁ ଆପ୍ ନେତାମାନେ ଦାବି କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଜଣେ ମଧୁମେହ ରୋଗୀ ଏବଂ ଜେଲ ପ୍ରଶାସନ ତାଙ୍କୁ ଇନସୁଲିନ ଦେଉନାହାଁନ୍ତି।  ଆପର ଅଭିଯୋଗ ଉପରେ ଜେଲ ପ୍ରଶାସନ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା ​​ଯେଉଁଥିରେ ସେ କେଜ୍ରିୱାଲଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସୋମବାର ସିଏମ କେଜ୍ରିୱାଲ ଜେଲ ଅଧୀକ୍ଷକଙ୍କୁ ଏକ ଚିଠି ଲେଖି ରାଜନୈତିକ ଚାପରେ ମିଥ୍ୟା ବିବୃତ୍ତି ଦେଇଥିବା ଅଭିଯୋଗ କରିଛନ୍ତି। କେବଳ ଆମ୍ ଆଦମୀ ପାର୍ଟି ମୁଖ୍ୟ ନୁହଁନ୍ତି ଅନେକ ଆପ୍ ନେତା ମଧ୍ୟ ତିହାର ଜେଲ ପ୍ରଶାସନକୁ ମିଥ୍ୟା ଅଭିଯୋଗ କରିଛନ୍ତି।

H8- Bengal School Jobs Scam: ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୪,୦୦୦ ଚାକିରି ଅବ‌ୈଧ ହୋଇଛି। ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ।

H9-IPL2024: ଆଜି ଆଇପିଏଲ୍ ମ୍ୟାଚ୍ ରେ  ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ମୌ ସୁପର ଜାଣ୍ଟସ୍ (Lucknow Super Giants) ମୁହାଁମୁହିଁ ହେବେ। ବିଜୟ ଲକ୍ଷରେ ଏହି ୨ଟି ଟିମ୍ ପଡିଆକୁ ଓହ୍ଲାଇବେ। 

H10-Sports News: ଆଜି କଳିଙ୍ଗ ଷ୍ଟାଡିୟମରେ ଓଡି଼ଶା ଏଫସି ଏବଂ ମୋହନ ବାଗାନ୍ ମଧ୍ୟରେ (ଆଇଏସଏଲ) ଇଣ୍ତିଆନ୍ ସୁପର ଲିଗ୍ ର ପ୍ରଥମ ଲେଗ୍ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ।  ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି।  ଚଳିତ ସିଜିନ୍ ରେ ଓଡି଼ଶା ଏଫସି କଳିଙ୍ଗ ଷ୍ଟାଡିୟମରେ ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ସବୁଥିରେ ବିଜୟ ହୋଇ ଅପରାଜେୟ ରହିଛି।