Top 10 News Today: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2200339

Top 10 News Today: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ପୂରା ରିପୋର୍ଟ

Top 10 News Today: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ
ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ କମଳା ଦାସଙ୍କ ପରଲୋକ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି। ବିଗତ କିଛିଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ୀତ ରହିଥିଲେ। ନିକଟରେ ତାଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। 

H2. ହସପିଟାଲରେ ଭର୍ତ୍ତିହେଲେ ଚନ୍ଦ୍ରଶେଖର ସାହୁ
ବିଜେଡି ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଛନ୍ତି । ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ସମେତ ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ଶ୍ରୀ ସାହୁଙ୍କୁ ହସ୍ପିଟାଲରେ ଭେଟିଥିଲେ ।

H3. ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ହେଲେ ଲେଖାଶ୍ରୀ
ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ଏଠାରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ନିକଟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ। ବିଜେପି ବାଲେଶ୍ୱରରୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଛି। ଏଣୁ ଏଥର ଏଠାରେ ପ୍ରତାପ ଷଡ଼ଙ୍ଗୀ ଓ ଲେଖାଶ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ। କଂଗ୍ରେସ ଏଯାଏଁ ଏହି ଆସନ ପାଇଁ ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ।

H4. ଟିକେଟରୁ ବଞ୍ଚିତ ହେଲେ ଭୂପିନ୍ଦର
କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ଟିକେଟକୁ ନେଇ ଛକାପଞ୍ଝା ଜାରି ରହିଥିଲା। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ନାଁ ଘୋଷଣା କରି ଏହାର ଅବସାନ ଘଟାଇଛନ୍ତି। ଫଳରେ, ବର୍ତ୍ତମାନର ବିଧାୟକ ଭୂପିନ୍ଦର ସିଂ ଟିକେଟରୁ ବଞ୍ଚିତ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ନର୍ଲା ବିଧାନସଭା ଆସନ ନିମନ୍ତେ ପୂର୍ବରୁ କଂଗ୍ରେସରୁ ହେଭିୱେଟ ନେତା ଭକ୍ତ ଚରଣ ଦାସ ଓ ବିଜେପି ପକ୍ଷରୁ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଭକ୍ତଙ୍କ ପ୍ରାର୍ଥିତ୍ୱ ଘୋଷଣାପରେ ନର୍ଲା ଆସନରେ ବଡ଼ ଲଢ଼େଇ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏଥିଯୋଗୁ ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିଲା।

H5. ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ
ଚୈତ୍ର ପର୍ବ ତଥା ଚଡକମେଳା ପାଇଁ ଉତ୍ତର ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ନୀଳପର୍ବ ପାଳନ କରାଯାଇଥିବା ସମୟରେ ଆଜି ବାବାଙ୍କ ପୀଠରେ ପାଟପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି । ଅନ୍ୟପଟେ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  ବଢାଇ ଦିଆଯାଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିବା ସହ ପର୍ବରେ ସାମିଲ ହୋଇପାରିବେ ସେଥିବାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ବିଭିନ୍ନ ସ୍ଥାନରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

H6. ଆଜିଠୁ ବଢିବ ତାତି 
ଆଜିଠୁ ବଦଳିବ ପାଗ। ବଢିବ ତାତି ଉପରମୁହାଁ ହେବ ପାରଦ। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ଣପ୍ରବାହ। ୧୪ ତାରିଖ ପରେ ରାଜ୍ୟରେ ପୁଣିଥରେ ଗ୍ରୀଷ୍ଣ ଅନୁଭୂତ ହେବ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ କଟକ, ନୟାଗଡ଼, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

H7. ଏଥର ମୌସୁମୀ ଶୀଘ୍ର ଆସିପାରେ
ଚଳିତବର୍ଷ ଦେଶରେ ମୌସୁମୀର ଆଗୁଆ ଆଗମନ ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ ମତରେ ଭାରତ ମହାସାଗର ଡାଇପୋଲ୍ (ଆଇଓଡି) ଏବଂ ଲା ନିନା ପରିସ୍ଥିତି ଏକସଙ୍ଗରେ ସକ୍ରିୟ ହୋଇଥିବାରୁ ଏକ ବିରଳ ପାଣିପାଗ ଘଟଣା ଏହି ସମ୍ଭାବନାକୁ ପ୍ରୋତ୍ସାହିତ କରୁଛି। ମୌସୁମୀର ଶୀଘ୍ର ଆଗମନ ବ୍ୟତୀତ ସମଗ୍ର ଦେଶରେ ଅଧିକ ପରିମାଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକ ଏଥିରୁ ଆଗୁଆ ମୁକ୍ତି ପାଇବା ଆଶା ରହିଛି। ଦେଶର ଅନେକ ସ୍ଥାନରେ ସମ୍ଭାବ୍ୟ ପ୍ରବଳ ବର୍ଷା ସହିତ ଏକ ଶକ୍ତିଶାଳୀ ମୌସୁମୀ ଅନୁକୂଳ ପରିସ୍ଥିତି ଲା ନିନା ପ୍ରଭାବରେ ସୃଷ୍ଟି ହୋଇଛି।

H8. ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି। ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ସଂସଦୀୟ କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପତ୍ର ଦାଖଲ। ଏପ୍ରିଲ ୨୦ ତାରିଖରେ ନୋମିନେଶନ ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିବ। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହେଲେ, ବିହାର, ଛତିଶଗଡ, ଦାଦ୍ରା ନଗର ହାଭେଳି ଓ ଡାମନ୍ ଡିୟୁ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ଗୋଆ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଏବଂ ପଶ୍ଚିମବଙ୍ଗ । ମେ ୭ ତାରିଖରେ ଏହି ସବୁ ରାଜ୍ୟରେ ମତଦାନ ହେବ। ଜୁନ ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ।

H9. ମୁମ୍ବାଇର ଲଗାତାର ବିଜୟ: ବୁମ୍‌ରାଙ୍କୁ ୫ ୱିକେଟ୍‌
୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ହ୍ୟାଟ୍ରିକ୍‌ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆ ୱାଙ୍ଖ୍‌ଡ଼େରେ ଏହି ଦୁଇ ବିଜୟ ପାଇଛି। ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିବା ଘରୋଇ ଦଳ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟ୍‌ରେ ମାତ୍‌ ଦେଇଛି। ୧୯୭ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ଏହି ଦଳ ମାତ୍ର ୩ ୱିକେଟ୍‌ ହରାଇ ୨୭ ବଲ୍‌ ପୂର୍ବରୁ ହାସଲ କରିନେଇଛି। ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ‌ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍‌, ୭ ଚୌକା, ୫ ଛକା) ୨୩ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍‌ ହୋଇଥିଲେ।

H10. ମୋ ପୂର୍ବରୁ କିଶୋର ୯୦ ମିଟର୍ ଛୁଇଁପାରନ୍ତି: ନୀରଜ
ପ୍ୟାରିସ୍ ଅଲିମ୍ପିକ୍ସ ଯେତିକି ପାଖେଇ ଆସୁଛି ଭାରତୀୟ ଜା‌ଭଲିନ୍‌ ତାରକାଙ୍କ ଚର୍ଚ୍ଚା ସେତିକି ବଢ଼ି ଚାଲିଛି। ବିଶେଷ କରି ଗତ ଥର ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏବଂ ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଓଡ଼ିଆ ପୁଅ କିଶୋର‌ ଜେନାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ନିଜ ପ୍ରସ୍ତୁତି ଠିକଣା ପଥରେ ଥିବା ନୀରଜ ପ୍ରକାଶ କରିଛନ୍ତି ଏବଂ କୌଣସି ସମୟରେ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ମୁଁ ୯୦ ମିଟର୍ ସୀମା ସ୍ପର୍ଶ କରିପାରେ ବୋଲି କହିଛନ୍ତି।