Odisha Election 2024: ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସଂତୃପ୍ତ ସବୁଠାରୁ ଅଧିକ ଧନୀ, ୧୩ ଜଣ ନିଃସ୍ୱ
Advertisement
Article Detail0/zeeodisha/odisha2250804

Odisha Election 2024: ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସଂତୃପ୍ତ ସବୁଠାରୁ ଅଧିକ ଧନୀ, ୧୩ ଜଣ ନିଃସ୍ୱ

Odisha Election 2024: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାଂସଦ ଭାବେ ଲଢ଼ୁଥିବା ୬୪ ପ୍ରାର୍ଥୀଙ୍କ ଭିତରୁ ବିଜେଡିର ସଂତୃପ୍ତ ମିଶ୍ର ସବୁଠାରୁ ଅଧିକ ଧନୀ। ସେ କଟକରୁ ପ୍ରଥମଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନାଁରେ ୪୮୨ କୋଟି ଟଙ୍କାର ସମ୍ପତ୍ତି ରହିଛି। 

 

Odisha Election 2024

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାଂସଦ ଭାବେ ଲଢ଼ୁଥିବା ୬୪ ପ୍ରାର୍ଥୀଙ୍କ ଭିତରୁ ବିଜେଡିର ସଂତୃପ୍ତ ମିଶ୍ର ସବୁଠାରୁ ଅଧିକ ଧନୀ। ସେ କଟକରୁ ପ୍ରଥମଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନାଁରେ ୪୮୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରୁ ସ୍ଥାବର ସମ୍ପତ୍ତି ୬୧ କୋଟି ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୨୧ କୋଟି ଟଙ୍କା। ସେହିପରି ଏହି ନିର୍ବାଚନରେ କିଛି ସମ୍ପତ୍ତି ନଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୧୩। ଏମାନଙ୍କ ଭିତରୁ ଦୁଇଜଣ ସ୍ୱାଧୀନ ଭାବେ ଲଢ଼ୁଛନ୍ତି। 

ରାଜ୍ୟର ୬ଟି ଲୋକସଭା ମଣ୍ଡଳୀ ଲାଗି ଏହି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ମଣ୍ଡଳୀଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ପୁରୀ। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଏକସଙ୍ଗେ ୨୫ ତାରିଖ ଦିନ ଭୋଟ ଗ୍ରହଣ ଲାଗି ସମୟ ନିର୍ଘଣ୍ଟ ହୋଇଛି। ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ୍ ଏବଂ ଇଲେକ୍ସନ ଓ୍ୱାଚ୍‍ ପକ୍ଷରୁ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠକୁ ଅନୁଶୀଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।  ଏଥିରେ ପ୍ରାର୍ଥୀଙ୍କ ସମ୍ପତ୍ତି ଓ ଅପରାଧ ରେକର୍ଡକୁ ବିଶେଷ ଧ୍ୟାନ ଦିଆଯାଇଛି।

କେଉଁ ଦଳରେ କେତେ ଅଭିଯୁକ୍ତ
ଏହି ୬୪ଜଣ ପ୍ରାର୍ଥୀଙ୍କ ଭିତରୁ ୧୮ ଜଣ ନିଜ ନାଁରେ ଅପରାଧିକ ମାମଲା ଥିବା ରେକର୍ଡ କରିଛନ୍ତି। ସେମାନଙ୍କ ଭିତରୁ ୧୩ ଜଣଙ୍କ ନାଁରେ ସାଘାତିକ ଅପରାଧିକ ମାମଲା  ରହିଥିବା ବେଳେ ଜଣଙ୍କ ନାଁ ହତ୍ୟା ଏବଂ ୪ଜଣଙ୍କ ନାଁ- ହତ୍ୟା ଷଡ଼ଯନ୍ତ୍ର ମାମଲା ରହିଥିଲେ ବି ସେମାନେ ଲୋକଙ୍କ ପ୍ରତିନିଧିତ୍ୱ କରିବା ଲାଗି ନାମାଙ୍କନ ଦାଖଲ କରିଛନ୍ତି। 
ରାଜନୀତିକ ଦଳଗୁଡ଼ିକ ଆଧାରରେ ବିଚାର କଲେ, ବିଜେପିର ୬ରୁ ୬ ପ୍ରାର୍ଥୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରାସେ ୩ଜଣ, ବିଜେଡିର ୨ଜଣ ସାଂସଦ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ସେମାନା ସତ୍ୟପାଠରେ ଦାଖଲ କରିଛନ୍ତି। ସେହିପରି ସ୍ୱାଧୀନ ଭାବେ ଠିଆ ହୋଇଥିବା ୨୧ରୁ ୪ଜଣଙ୍କ ନାଁରେ ମାମଲା ରହିଛି। ସିପିଏମ୍‍, ନ୍ୟାସନାଲ ଜନଦଳ, ସୁପ୍ରିମ୍‍ ଜିରୋପାର୍ଟିରୁ ଜଣେ ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ନାଁରେ ମାମଲା ରହିଛି। ଅନ୍ୟ ୨୨ ଜଣଙ୍କ ବିରୁଦ୍ଧରେ କୌଣସି ମାମଲା ନାହିଁ। 

ଏବେ କୋଟିପତିଙ୍କ କଥା। ୬୪ରୁ ୨୮ ପ୍ରାର୍ଥି ଅର୍ଥାତ୍‍ ୪୪% ପ୍ରାର୍ଥୀ କୋଟିପତି। ବିଜେଡିର ସମସ୍ତ ପ୍ରାର୍ଥୀ କୋଟିଏରୁ ଅଧିକ ସମ୍ପତ୍ତିର ମାଲିକ। କଂଗ୍ରେସ ଓ ବିଜେପିର ୪ଜଣ ଲେଖାଏଁ ପ୍ରାର୍ଥୀ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ବିଜେଡିର ପ୍ରାର୍ଥୀଙ୍କ ସମୁଦାୟ ସମ୍ପତ୍ତିକୁ ଦେଖିଲେ ଜଣେ ପ୍ରାର୍ଥୀଙ୍କ ପାଖରେ ହାରାହାରି ୯୫ କୋଟି ଟଙ୍କା ରହିଛି। ବିଜେପିର ପ୍ରାର୍ଥୀଙ୍କ ପାଖରେ୫ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨ କୋଟି। 

ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଉଛନ୍ତି କଟକର ସଂତୃପ୍ତ ମିଶ୍ର। ତାଙ୍କ ନାଁରେ ୪୮୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ତଳକୁ ରହିଛନ୍ତି ଢେଙ୍କାନାଳର ବିଜେଡି ପ୍ରାର୍ଥୀ ଅବିନାଶ ସାମଲ। ତାଙ୍କ ନାଖରେ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। କେନ୍ଦୁଝରର ବିଏସ୍‍ପି ପ୍ରାର୍ଥୀ ରାମପ୍ରସାଦ ହେମ୍ବ୍ରମ ହେଉଛନ୍ତି ତୃତୀୟ ଧନୀ ପ୍ରାର୍ଥୀ।

ହାଇପ୍ରୋଫାଇଲ୍‍ ନେତାଙ୍କ ସମ୍ପତ୍ତି
ଏହି ନିର୍ବାଚନରେ ବହୁ ମାନ୍ୟଗଣ୍ୟ ତଥା ହାଇପ୍ରୋଫାଇଲ୍‍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିତରେ ବଡ଼ ଯୁଦ୍ଧ ଚାଲିଛି। ଭୁବନେଶ୍ୱରରେ ସାଂସଦ ଅପରାଜିତା ପ୍ର୍ରାର୍ଥୀ ହୋଇଛନ୍ତି। କଟକରେ ୫ ଥରର ସାଂସଦ ତଥା ଏବେ ଦଳ ବଦଳାଇଥିବା ଭର୍ତ୍ତୃହରି ମହତାବ   ସବୁଠାରୁ ଧନୀ ପ୍ରାର୍ଥୀ ସଂତୃପ୍ତଙ୍କ ବିରୁଦ୍ଧରେ ଲଢ଼େଇ କରୁଛନ୍ତି। ସେହିପରି ଧାର୍ମିକ ପୀଠ ପୁରୀରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ପାତ୍ର। 

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଭର୍ତ୍ତୃହରିଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୯ କୋଟି ଦର୍ଶାଯାଇଛି। ପୂର୍ବତନ ଆଇଏଏସ୍‍ ଅଧିକାରୀ ଅପରାଜିତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪ କୋଟି ହେବ। ସେହିପରି ପ୍ରଣବ ପ୍ରକାଶ ଦାସଙ୍କ ସମ୍ପତ୍ତିର ମୂଲ୍ୟ  ପ୍ରାୟ ୨ କୋଟି ଟଙ୍କା ବୋଲି ସତ୍ୟପାଠ ଅନୁଶୀଳନରୁ ଜଣାପଡ଼ିଛି। ପୁରୀରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ ଅଧିକାରୀ ଅରୂପ ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ ୨୨ କୋଟି ଦର୍ଶାଯାଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ତଥା ଏବେକାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ସମୁଦାୟ ୬ କୋଟି ଟଙ୍କାର ସମ୍ପତ୍ତି ରହିଛି।