ହିଞ୍ଜିଳି ସଭା: ଶାହାଙ୍କ କୋର୍ଟକୁ ବଲ୍‍ ଦେଲେ ନବୀନ
Advertisement
Article Detail0/zeeodisha/odisha2219797

ହିଞ୍ଜିଳି ସଭା: ଶାହାଙ୍କ କୋର୍ଟକୁ ବଲ୍‍ ଦେଲେ ନବୀନ

Odisha Election 2024: ଆସନ୍ତା କାଲି ବିଜେଡିର ଏହି ଇଙ୍ଗିତକୁ କେଉଁ ପ୍ରକାରେ ଶ୍ରୀ ଶାହା ଗ୍ରହଣ କରୁଛନ୍ତି ତାହାହିଁ ଏହି ହାଇଭୋଲ୍‍ଟେଜ୍‍ ନିର୍ବାଚନର ଦିଶା ନିର୍ଦ୍ଦେଶ କରିବ। ନହେଲେ ତାହା କେବଳ ହାଇଭୋଲ୍ଟେଜ୍‍ ଡ୍ରାମା ହିଁ ହେବ। 

 

Amit Shah

ଭୁବନେଶ୍ୱର: ହିଞ୍ଜିଳି ସଭାରେ ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଅମିତଶାହଙ୍କ କୋର୍ଟକୁ ଦେଇଛନ୍ତି ୨୦୨୪ ନିର୍ବାଚନ ବଲ୍‍। ସଭାରେ ବିନା କୌଣସି ଟାର୍ଗେଟ କରି ବିରୋଧିଙ୍କୁ ନବୀନ ଏକ ସିଧା ସାଦା ଇଙ୍ଗିତ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରପନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଆଗମନର ଗୋଟିଏଦିନ ପୂର୍ବରୁ ବିଜେଡିର ଏପରି ଇଙ୍ଗିତ ରାଜନୀତିକ ମହଲରେ ଏକ ‘ଗୁମ୍‍ସୁମ୍‍’ ପରିସ୍ଥିତି ସୃଷ୍ଟି କରିଛି। ଆସନ୍ତା କାଲି ବିଜେଡିର ଏହି ଇଙ୍ଗିତକୁ କେଉଁ ପ୍ରକାରେ ଶ୍ରୀ ଶାହା ଗ୍ରହଣ କରୁଛନ୍ତି ତାହାହିଁ ଏହି ହାଇଭୋଲ୍‍ଟେଜ୍‍ ନିର୍ବାଚନର ଦିଶା ନିର୍ଦ୍ଦେଶ କରିବ। ନହେଲେ ତାହା କେବଳ ହାଇଭୋଲ୍ଟେଜ୍‍ ଡ୍ରାମା ହିଁ ହେବ। 

ପ୍ରଶ୍ନ ହେଉଛି ନବୀନ କ’ଣ କହିଲେ?
ନବୀନ ଏହି ରାଜନୀତିକ ସଭାରେ କେବଳ ଯୁବକମାନଙ୍କ ପାଇଁ ନୂଆ ବଜେଟ୍‍ ଘୋଷଣା କରିବାକୁ ପ୍ରତିଶୃତି ଦେଲେ। ତାଙ୍କୁ ଏବଂ ତାଙ୍କ ଦଳକୁ ପୁଣିଥରେ ଉଭୟ ସାଂସଦ ଓ ବିଧାନସଭା ପାଇଁ ଭୋଟ୍‍ ଦେବାକୁ କହିଲେ। ଏ ଭିତରେ ନବୀନ ବିରୋଧି ଦଳଙ୍କୁ କେବଳ ବିକାଶ ବିରୋଧି ବୋଲି ହିଁ କହିବା ଛଡ଼ା ଆଉ କିଛି କହିଲେ ନାହିଁ। କଥା କମ୍‍ କହି ଇଙ୍ଗିତ ଅଧିକ ଦେଉଥିବା ବିଜେଡି ସୁପ୍ରିମୋଙ୍କ ଏହି ଭାଷଣ କିନ୍ତୁ ଅନେକ କଥା ବୟାନ କରୁଛି। ଏ ଭିତରୁ ସବୁଠାରୁ ମୂଳ ବିନ୍ଦୁ ହେଉଛି  ମୁଖ୍ୟ ବିରୋଧି ଦଳ ବା ଏହାର କୌଣସି ନେତାଙ୍କ ନାଁ ନନେବା। ବିରୋଧି ଦଳର କାର୍ଯ୍ୟକୁ  ରାଜନୀତିକ ଢଙ୍ଗରେ ସମାଲୋଚନା ନକରିବା। ଅର୍ଥାତ୍‍ ନବୀନଙ୍କ ଇଙ୍ଗିତରେ ଏହା ବିରୋଧିଙ୍କୁ ଜଣାଇବାକୁ ଚାହିଁଲେ ଯେ, ଏ ଲଢ଼େଇ ଏକ ନିର୍ବାଚନ ମାତ୍ର। ଆମେ ତୁମ ଗୁମର ଖୋଲୁ ନାହୁଁ, ବଦଳରେ ତୁମେ ବି ସେଇଆ କର। ଅର୍ଥାତ୍‍ କେହି କାହା ବିରୁଦ୍ଧରେ ସ୍ୱର ନ ଉଠାଇ ନିର୍ବାଚନ ଲଢ଼ିବ।।  ଯିଏ ଜିତିଲେ ବି ଗୋଟିଏ ପକ୍ଷର ହୋଇ ରହିବ। 

ନିର୍ବାଚନ ଘୋଷଣାର କିଛିଦିନ ପୂର୍ବରୁ ଯେଉଁ ମେଣ୍ଟ ଚର୍ଚ୍ଚା ଚାଲିଥିଲା ସେଥିରେ ମଧ୍ୟ ଏହି ଚର୍ଚ୍ଚା ହୋଇଥିଲା। ସେତେବେଳେ କୁହାଯାଇଥିଲେ ରାଜ୍ୟରେ ବିଜେପି- ବିଜେଡି ସହ ମେଣ୍ଟ କରିବାକୁ ବୁଝାମଣା ଚାଲିଛି। ଏପରିକି ‘ଏକ ବୃହତ୍ତର ସ୍ୱାର୍ଥ‘ ଲାଗି ଏହି ମେଣ୍ଟ ଆବଶ୍ୟକ ହୋଇପାରେ ବୋଲି ବିଜେଡି ରଣନୀତିକାର ଏକ  ଟିଭି ଚ୍ୟାନେଲ୍‍କୁ ସାକ୍ଷାତକାର ଦେଇ କହିଥିଲେ। କିନ୍ତୁ ରାଜ୍ୟ ବିଜେଡି ନେତାଙ୍କ ବିରୋଧ ହେତୁ ଏ ମେଣ୍ଟ ହୋଇପାରିଲା ନାହିଁ ବୋଲି ସେତେବେଳେ ଶୁଣାଯାଇଥିଲା। ଏହା ଏଯାଏ ଲୋକଙ୍କ ମନରେ ରହିଛି। ଏଣୁ ବିଜେଡିର ପ୍ରଥମ ପ୍ରଚାର ସଭାରେ ଏବିଷୟରେ ମୁଖିଆ ସୂଚନା ଦେବା ବଦଳରେ ଚୁପ୍‍ ରହିବା ଏବେ ଶାହାଙ୍କ କୋର୍ଟକୁ ବଲ ଦେଲା ଭଳି ହୋଇଛି। ଏଣୁ ଆସନ୍ତା କାଲି ଶାହଙ୍କୁ ଅପେକ୍ଷା, ସେ ଏ ପ୍ରଚାରକୁ କେଉଁ ଆଡ଼କୁ ନେଉଛନ୍ତି। ସେଥିରୁ ଜଣାପଡ଼ିବ ୨୦୧୯ ନିର୍ବାଚନ  ଅର୍ଥାତ୍‍ କ୍ଷମତା ବଞ୍ଚାଇବାର ପ୍ରୟାସ ବନାମ କ୍ଷମତାସୀନ ସରକାରଙ୍କୁ ଗାଦିଚ୍ୟୁତ କରିବାର ଲକ୍ଷ୍ୟ  କେତେ ସରଗରମ ହେଉଛି।